Saturday, September 22, 2018

ପରିବର୍ତ୍ତନ ପାଇଁ ମୋଦିଙ୍କ ଆହ୍ୱାନ


ତାଳଚେର/ଝାଡସୁଗୁଡା , ୨୨/୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦିନିକିଆର ଓଡିଶା ଗସ୍ତ ଅବସରରେ ୨୦୧୯ ନିର୍ବାଚନର ବିଗୁଲ୍‍ ଫୁଙ୍କିଛନ୍ତି  । ନିଜର ସରକାରୀ କାର୍ଯ୍ୟକ୍ରମ ସହିତ ତାଳଚେରର ଓ ଝାଡସୁଗୁଡାରେ ଅନୁଷ୍ଠିତ ୨ଟି ବିରାଟ ଦଳୀୟ ସମାବେଶକୁ ଉଦବୋଧନ ଦେଇ ସେ ଓଡିଶାରେ ବଡ ରାଜନୈତିକ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ ବିଜେଡ଼ି ସରକାରଙ୍କ ବିରୋଧରେ ସିଧା ଆକ୍ରମଣ କରିଛନ୍ତି  । ଗୋଟି ଗୋଟି କରି ଓଡିଶା ସରକାରଙ୍କ ଅପରାଗତା, ଦୁର୍ନୀତି ଓ ଅନିୟମିତତାର ପାଞ୍ଜି ଖୋଲିଦେଇଛନ୍ତି  । ସେ କହିଛନ୍ତି ଗୋଡ଼ ଠାରୁ ମୁଣ୍ଡ ଯାଏ ଓଡ଼ିଶା ସରକାର ଦୁର୍ନୀତିରେ ଉବୁଟୁବୁ ହେଉଛନ୍ତି  । ଲାଞ୍ଚ ବିନା ଏଠାରେ କାମ ହେଉନାହିଁ  । ସରକାରୀ ଦଳର ଚେଲା ଚାମୁଣ୍ଡା ପିସି ନେଇ ଲୋକଙ୍କୁ ପେଷୁଛନ୍ତି  । ଦୁର୍ନୀତି ଓ ଲାଞ୍ଚ ଯୋଗୁଁ ଓଡ଼ିଶା ବିକାଶ କରିପାରୁ ନାହିଁ  । ୧୯ ବର୍ଷ ହେଲା ଓଡ଼ିଶାବାସୀ ବିଜେଡ଼ି ଶାସନରେ ପେଷି ହୋଇଗଲେଣି  । ତେଣୁ ଓଡ଼ିଶାକୁ ଦରକାର ବଡ଼ ପରିବର୍ତ୍ତନ  । ୨୦୧୯ ପାଇଁ ପରିବର୍ତ୍ତନର ଏଭଳି ଆହ୍ୱାନ ଦେଇ ଟଙ୍କିକିଆ ଚାଉଳ ଠାରୁ ଆରମ୍ଭ କରି ଆୟୁଷ୍ମାନ ଯୋଜନା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଫିସାଦିର ଫର୍ଦ୍ଦ ଖୋଲି ଦେଇଛନ୍ତି ମୋଦି  । ଏଥିସହିତ ନବୀନଙ୍କ ପାଇଁ ସୃଷ୍ଟି କରିଛନ୍ତି ବଡ଼ ଚ୍ୟାଲେଞ୍ଜ  । ମୋଦି କହିଛନ୍ତି ଏନ୍ଡିଏ ସରକାର କ୍ଷମତାକୁ ଆସିବା ପରେ ରାଜ୍ୟକୁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଯୋଜନା ଏବଂ ଟିକସ ସହାୟତା ବାବଦରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ସହାୟତା ଦେଇଛନ୍ତି । କିନ୍ତୁ ତାହା ଓଡିଶା ଲୋକଙ୍କ ନିକଟରେ ଠିକ ଭାବେ ପହଞ୍ଚି ନାହିଁ । ସେ କହିଛନ୍ତି କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ଗଠନ ପରେ ଭିତ୍ତିଭୂମି, ରେଳପଥ ଓ ସଡ଼କିର୍ମାଣ କାର୍ଯ୍ୟରେ ଢେର ଅଗ୍ରଗତି ହୋଇଛି । ତେବେ ଓଡ଼ିଶାରେ ରାଜ୍ୟ ସରକାର ପ୍ରଗତି କ୍ଷେତ୍ରରେ ଶିଥିଳ ପଡ଼ିଯାଇଥିବା ନଜର ଆସୁଛି । ବିକାଶ ପ୍ରତି ରାଜ୍ୟ ସରକାର ଉଦାସୀନ ରହୁଥିବା ପରିଲକ୍ଷିତ ହେଉଛି । ଦୁଇ ଦଶନ୍ଧି ପୂର୍ବେ ରାଜ୍ୟ ଯେମିତି ଶିଥିଳ ଗତିରେ ଚାଲିଥିଲା ଏବେ ମଧ୍ୟ ସେହି ବ୍ୟବସ୍ଥା ନଜରକୁ ଆସୁଛି । ରାଜ୍ୟ ସରକାର ନିଷ୍ପତ୍ତି ନେବାରେ ବିଳମ୍ବ କରିବା ସହ ପ୍ରଶାସନର ବିଭିନ୍ନ କ୍ଷେତ୍ରରେ ଭ୍ରଷ୍ଟାଚାରର ଅଭିଯୋଗ ହେଉଛି । ତଥାପି ସ୍ୱାସ୍ଥ୍ୟସେବା, କୁପୋଷଣର ପ୍ରତିକାର, ଲିଙ୍ଗଗତ ଭେଦଭାବ, ଶିଶୁ ଓ ମାତୃ ମୃତ୍ୟୁହାର ଭଳି ସମସ୍ୟାର ସମାଧାନ କ୍ଷେତ୍ରରେ ଓଡ଼ିଶା ବହୁ ପଛରେ ରହିଛି । କେନ୍ଦ୍ରରୁ ମିଳୁଥିବା ଆର୍ଥିକ ସହାୟତାକୁ ଆଖିଦୃଶିଆ ଭାବେ ବିକାଶ କାର୍ଯ୍ୟରେ ବିନିଯୋଗ କରାଯାଉନାହିଁ । ରାଜ୍ୟ ସରକାରଙ୍କ ମନୋଭାବ ସକାରାତ୍ମକ ନଥିବା ସେ କହିଥିଲେ । ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣିଥରେ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଏହି ଯୋଜନାରେ ସାମିଲ ନ ହେବା ଦ୍ୱାରା ରାଜ୍ୟର ଗରିବ ଲୋକମାନେ ଏକ ବଡ଼ ରାଷ୍ଟ୍ରୀୟ ଯୋଜନାର ଉପକାରରୁ ବଞ୍ଚିତ ହେବେ । ଏହା ଓଡ଼ିଶାବାସୀଙ୍କ ପ୍ରତି ଅନ୍ୟାୟ ହେବ । ଓଡ଼ିଶାରେ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ମଧ୍ୟ ଠିକ୍ଭାବେ କାର୍ଯ୍ୟକାରୀ କରାଯାଉନାହିଁ । ଧାନ ମଣ୍ଡିରେ ଖରାପ ଧାନ କହି ଚାଷୀଙ୍କୁ ଫେରାଇ ଦିଆଯାଉଛି । ଶୌଚାଳୟ ନିର୍ମାଣରେ ମଧ୍ୟ ଓଡ଼ିଶା ପଛରେ ରହିଛି । ଓଡିଶଶରେ କେବଳ କାଗଜକଲମରେ ବିକାଶ କାର୍ଯ୍ୟ ଚାଲିଛି । ଏପରିକି ବନୀକରଣ, ସମବାୟ , ପୂର୍ତ୍ତ , ସଡ଼କ ନିର୍ମାଣ, ଜଳସେଚନ ଆଦି କ୍ଷେତ୍ରରେ ଭ୍ରଷ୍ଟାଚାର ଅଭିଯୋଗ ହେଉଛି । ରାଜ୍ୟରେ କମିଶନି କାରବାର ବୃଦ୍ଧି ପାଇଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶାରେ ୨୪ଟି ପ୍ରଧାନମନ୍ତ୍ରୀ କୌଶଳକେନ୍ଦ୍ର କାର୍ଯ୍ୟ କରୁଛି । ୨୦୨୪ ସୁଦ୍ଧା ୩ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯିବାର ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ସ୍ୱରୋଜଗାରଯୋଜନାରେ ୨୫ ହଜାର କୋଟି ଟଙ୍କା ବିନିଯୋଗ ହୋଇଛି ଏବଂ ମୁଦ୍ରା ଯୋଜନାରେ ଓଡ଼ିଶାରେ ୧ କୋଟି ଋଣ ପ୍ରଦାନ କରାଯାଇଛି । ଏଣୁ ଓଡ଼ିଶାକୁ ମଧ୍ୟ ପୂର୍ବ ଭାରତର ଦ୍ରୁତ ବିକାଶରେ ଏକ ସକ୍ରିୟ ଭାଗିଦାର ହେବାର ବେଳ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଓଡ଼ିଶାରେ ସ୍ୱଚ୍ଛତା ଅଭିଯାନର ଶିଥିଳ ଗତି ନେଇ ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ  । ସେ କହିଥିଲେ ଯେ ୨୦୧୪ ରେ ଓଡ଼ିଶାରେ ସ୍ୱଚ୍ଛତା ହାର ୧୦ ପ୍ରତିଶତ ଥିଲା  । ତାଙ୍କ ସରକାର ଆସିବା ପରେ ଦେଶବ୍ୟାପୀ ସ୍ୱଚ୍ଛତା ଅଭିଯାନ ବ୍ୟାପକ ମାତ୍ରାରେ ଚାଲିଲା ଏବଂ ରାଜ୍ୟରେ ଏହି ହାର ୫୫ ପ୍ରତିଶତରେ ପହଞ୍ଚିଛି  । ତଥାପି ଓଡ଼ିଶାକୁ ଅନେକ କିଛି କରିବାର ଅଛି  । ଓଡ଼ିଶାଠାରୁ ଅନେକ ଗରିବ ରାଜ୍ୟ ସ୍ୱଚ୍ଛତା କ୍ଷେତ୍ରରେ ଆଗରେ ଅଛନ୍ତି  । ଅନ୍ୟ ପକ୍ଷରେ ଓଡ଼ିଶାର ଅନେକ ସ୍ଥାନରେ ଏବେ ମଧ୍ୟ ଖୋଲାରେ ଶୌଚ ହେଉଛି  । ପ୍ରଧାନମନ୍ତ୍ରୀ କହିଥିଲେ ଯେ ମାତୃ ଓ ଶିଶୁ ମୃତ୍ୟୁହାର ରାଜ୍ୟରେ ଅଧିକ ରହିଛି  । ଓଡ଼ିଶାରେ ଡାକ୍ତରୀ ଶିକ୍ଷା ଏବଂ ଆଧୂନିକ ଚିକିତ୍ସା ସେବାକୁ ବିକଶିତ କରିବା ଲାଗି କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି  । ୫ଟି ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜ ହସ୍ପିଟାଲରେ ପରିଣତ କରାଯାଇଛି  । ଏଗୁଡିକ ହେଲା - ବାଲେଶ୍ୱର, ବାରିପଦା, କୋରାପୁଟ, ବଲାଙ୍ଗୀର ଏବଂ ପୁରୀ  । ତାଳଚେର ଓ ସୁନ୍ଦରଗଡରେ ଆଉ ଦୁଇଟି ମେଡିକାଲ କଲେଜ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଚାଲିଛି  । ୩୬୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତାରେ କଟକ, ବୁର୍ଲା ଏବଂ ବ୍ରହ୍ମପୁର ମେଡିକାଲ କଲେଜର ଆଧୂନିକୀକରଣ କାର୍ଯ୍ୟ ଚାଲିଛି  । ୫୭୦ କୋଟି ଟଙ୍କା ବିନିଯୋଗରେ ରାଉରକେଲା ମେଡିକାଲ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲର ଆଧୁନିକୀକରଣ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  । ସେ କହିଥିଲେ ଯେ ୨୦୧୪ରେ ଏନଡିଏ ସରକାର କ୍ଷମତାକୁ ଆସିବାବେଳେ ଓଡ଼ିଶାରେ ଏଲପିଜି ଗ୍ୟାସ ସଂଯୋଗ ହାର ମାତ୍ର ୨୨ ପ୍ରତିଶତ ଥିଲା  । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକାରୀ ହେବାପରେ ରାଜ୍ୟରେ ଏଲପିଜି ବ୍ୟବହାରକାରୀଙ୍କ ହାର ୬୦ ରୁ ୬୫ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଛି  । ରାଜ୍ୟର ୫୦ ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସାମିଲ କରାଯାଇଛି  । ମୋଦି କହିଛନ୍ତି ୨୦୨୨ ସୁଦ୍ଧା ଦେଶରେ କେହି ହେଲେ ବାସହୀନ ରହିବେ ନାହିଁ  । ଏହି ଲକ୍ଷ୍ୟ ନେଇ ଏନଡିଏ ସରକାର କାର୍ଯ୍ୟ କରୁଛି  । ଓଡ଼ିଶାରେ ଗତ ଚାରି ବର୍ଷ ମଧ୍ୟରେ ୧୦ ଲକ୍ଷ ଗୃହ ନିର୍ମାଣ ପାଇଁ କେନ୍ଦ୍ରୀୟ ମଞୁରୀ ଦିଆଯାଇଛି  । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ୟାନ୍ୟ ଆୱାସ ଯୋଜନାରେ ଗୃହ ନିର୍ମାଣ ହାର ୪୦%ରେ ପହଞ୍ଚିଛି  । ଓଡ଼ିଶାରେ ଟଙ୍କିକିଆ ଚାଉଳ ଯୋଜନାର ରହସ୍ୟ ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତି ମାସରେ ରାଜ୍ୟର ଗରିବ ଲୋକଙ୍କୁ ଟଙ୍କିକିଆ ଚାଉଳ ଦେବାଲାଗି କେନ୍ଦ୍ର ସରକାର ମାସିକ ୪୫୦ କୋଟି ଟଙ୍କା ସହାୟତା ଦେଉଛନ୍ତି  । ପ୍ରତି କିଲୋ ଚାଉଳ ପିଛା କେନ୍ଦ୍ର ସରକାର ୨୫ ରୁ ୩୦ ଟଙ୍କା ପଯ୍ୟନ୍ତ ସବସିଡି ଦେଉଛନ୍ତି  । ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସୁସଂଗତ କରାଯାଇ ଖାଦ୍ୟ ସାମଗ୍ରୀର ବାଟମାରଣା କରାଯାଇଛି  । ଏଣୁ ଗରିବ ଲୋକଙ୍କୁ ଏକ ଟଙ୍କାରେ ଚାଉଳ ଯୋଗାଇବାର ଅଧିକ ଶ୍ରେୟ କେନ୍ଦ୍ର ସରକାରଙ୍କର  । ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ଓବିସି କମିଶନ ଗଠନ କରି ଏହାକୁ ସାମ୍ବିଧାନିକ ମର୍ଯ୍ୟାଦା ଦେବାର ଐତିହାସିକ ପଦକ୍ଷେପ ନେଇଛନ୍ତି  । ତିନି ତଲାକ ଭଳି ପ୍ରଥା ଦ୍ୱାରା ମୁସଲିମ ସମାଜର ଭଉଣୀମାନଙ୍କ ଜୀବନ ଦୁର୍ବିସହ ହେଉଥିଲା  । ଏନଡିଏ ସରକାର ପ୍ରଥମେ ଲୋକସଭାରେ ଏହାକୁ ପାସ କରାଇଥିଲେ । କିନ୍ତୁ ରାଜ୍ୟସଭାରେ ଗୃହୀତ ନ କରାଇବା ପାଇଁ ଉଦ୍ୟମ ହେଉଛି  । ତଥାପି ତାଙ୍କ ସରକାର ନିଷ୍ଠାର ସହ ଏ ଦିଗରେ ଆଗକୁ ବଢି ତିନି ଦିନ ତଳେ ତିନି ତଲାକ ସଂପର୍କୀତ ଅଧ୍ୟାଦେଶ ଜାରି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  ।

No comments:

Post a Comment